ବାଲେଶ୍ୱର: ବାଲେଶ୍ୱର ସୋର ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଏଥି ସହିତ ୧୦ରୁ ୧୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ବସ୍ ପଛରୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।
ମୟୁରଭଞ୍ଜର ଉଦଳାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଘରୋଇ ବସ୍ ଶାନ୍ତିଲତା ବିଦୁ ଛକ ନିକଟରେ ଠିଆ ହୋଇଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ବସ୍ଟି ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଓଲଟି ପଡିଥିଲା । ବସରେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ନାବାଳିକା ୧ ବର୍ଷର ଶିଶୁ, ଜଣେ ମହିଳା ଓ ଦୁଇ ପୁରୁଷ ଥିବା ସୂଚନା ମିଳିଛି ।
ଆହତ ଏବଂ ଗୁରୁତରମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ସୋର ପୋଲିସ୍, ସୋର ଦମକଳ ବାହିନୀ, ଜାତୀୟ ରାଜପଥ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆହତ ଓ ମୃତକଙ୍କ ପରିଚୟ ମିଳିନାହିଁ l ବର୍ତ୍ତି ଯାଇଥିବା ଯାତ୍ରୀ ମାନଂକୁ ପ୍ରଶାସନ ତରଫରୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି l ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଘଟଣାସ୍ଥଳରେ ପହଞ୍ଚି ରାତିରେ ମୃତକ ଶବ ବ୍ୟବଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ପରିଚୟ ମିଳିଛି । ଜଣେ ହେଲେ ସୋର ଥାନା ମୁଗୁନି ପୁର ଗ୍ରାମର ନାବାଳିକା ସଂଗୀତା ମୂର୍ମୁ ବୟସ ୧୪ ବର୍ଷ। ଅନ୍ୟ ଜଣେ ହେଲେ ଉଦଳା ଅଂଚଳର ବିଜୟଲକ୍ଷ୍ମୀ ପ୍ରିୟଦର୍ଶନୀ ବୟସ ୧୦ ବର୍ଷ ବୋଲି ଜଣା ପଡ଼ିଛି।