ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି। ନବୀନ କହିଛନ୍ତି ୟୁକ୍ରେନ ସଙ୍କଟ ଯୋଗୁଁ ବହୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେେ ବ୍ୟାଘାତ ହୋଇଛି । ଏହି ଛାତ୍ର ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉ। ଦେଶର ମେଡ଼ିକାଲ କଲେଜରେ ସେମାନଙ୍କ ପାଠପଢ଼ା ବ୍ୟବସ୍ଥା କରାଯାଉ। ଏନେଇ ଜାତୀୟ ମେଡ଼ିକାଲ କମିଶନ ଓ ମନ୍ତ୍ରଣାଳୟ ନିଷ୍ପତ୍ତି ନେଉ ।
ଓଡ଼ିଶାର ବହୁ ଛାତ୍ର ଛାତ୍ରୀ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ ଯାଇଥିଲେ । ସେଠାରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ସେମାନେ ଫେରିଆସିଛନ୍ତି । ଭାରତ ସରକାରଙ୍କର ଅପରେଶନ ଗଙ୍ଗା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨ଶହରୁ ଉର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀ ଆସି ଓଡ଼ିଶାରେ ସୁରକ୍ଷିତ ଭାବରେ ପହଞ୍ଚିପାରିଛନ୍ତି । ବର୍ତ୍ତମାନ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହେବକୁ ବସିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ପିଲାଙ୍କ ପାଠପଢାର ବନ୍ଦୋବସ୍ତ କରିବା ପାଇଁ ପ୍ରଧନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।