ଭୁବନେଶ୍ୱର: ରାଜ୍ୟ ସରକାର ବିଜୁ ପକ୍କା ଘର’ରେ ୩ବର୍ଷରେ ମାତ୍ର ୩୩୦୯ଟି ଘର ଆବଣ୍ଟିତ ହୋଇଛି । ଗତ ୩ ବର୍ଷ ମଧ୍ୟରେ ୧୪ଟି ଜିଲ୍ଲାରେ ଗୋଟିଏ ବି ବିଜୁ ପକ୍କାଘର ଆବଣ୍ଟିତ ହୋଇନଥିବାବେଳେ କଟକ, କେନ୍ଦ୍ରାପଡ଼ା, ପୁରୀ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ମାତ୍ର ଗୋଟିଏ ଲେଖାଏଁ ଘର ଆବଣ୍ଟିତ ହୋଇଛି । ୨୦୨୦-୨୧ ମସିହାରେ ଗୋଟିଏ ବି ଘର ଏହି ଯୋଜନାରେ ରାଜ୍ୟରେ କାହାରିକୁ ଦିଆଯାଇନଥିବା ଜଣାପଡ଼ିଛି । ଏହାସହିତ ଗ୍ରାମାଂଚଳରେ ଘର ଯୋଗାଣକୁ ନେଇ ଶାସକ ବିଜେଡି କରୁଥିବା ରାଜନୀତି ପଦାରେ ପଡ଼ିଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଘର ଆବଣ୍ଟିତ ହେଉଥିବାବେଳେ ବିଜେଡି ସରକାର ଏଥିରୁ ରାଜନୀତିକ ଫାଇଦା ନେବା ପାଇଁ ବିଭିନ୍ନ ଫନ୍ଦିଫିକର ବାହାର କରିବାକୁ ପଛାଇ ନାହାନ୍ତି ।
ବିଧାନସଭାରେ ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ରେ ମୋଟ ୩୩୦୯ଜଣ ହିତାଧିକାରୀଙ୍କୁ ବିଜୁ ପକ୍କାଘର ଆବଣ୍ଟନ କରିଛନ୍ତି । ସେଥିରୁ ୨୦୨୨ ମାର୍ଚ୍ଚ ୨୨ ତାରିଖ ସୁଦ୍ଧା ୩୮୦ଟି ଘର ସମ୍ପୂର୍ଣ୍ଣ ନିର୍ମାଣ ହୋଇଥିବାବେଳେ ୨୯୨୯ଟି ଘର ଅସମ୍ପୂର୍ଣ୍ଣ ରହିଛି । ଏହି ଘରଗୁଡ଼ିକୁ ଆସନ୍ତା ୨୦୨୨-୨୩ରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ବିଜୁ ପକ୍କାଘର ଯୋଜନାରେ ୨୦୧୯-୨୦ରେ ୯୧୯ଟି ଘର ଓ ୨୦୨୧-୨୨ରେ ୨୩୯୦ଟି ଘର ଆବଣ୍ଟିତ ହୋଇଛି । ୧୪ଟି ଜିଲ୍ଲାକୁ ଗୋଟିଏ ବି ଘର ନଥିବାବେଳେ ୫ଟି ଜିଲ୍ଲାକୁ ଗୋଟିଏ ଲେଖାଏଁ ଘର ଏହି ଯୋଜନାରେ ଦିଆଯାଇଛି ।