ଆସନ୍ତା କାଲି ପ୍ରତ୍ୟେକ ସବ୍‌ଡିଭିଜନରେ ବିଜେପି ଆନ୍ଦୋଳନ କରିବ

ଭୁବନେଶ୍ୱର, ତା ୧୦/୧୨: ବିଜେଡି ସରକାରରେ ମଦର ଭୂ-ସ୍ୱର୍ଗ ପାଲଟିଛି ଓଡ଼ିଶା । ରାଜ୍ୟ ସରକାରଙ୍କ ଅନୁକମ୍ପାରେ “ସାହୁ ବ୍ରଦର୍ସ ଆଣ୍ଡ କୋ” ଠୁଳ କରିଛି ୫୦୦କୋଟିର କଳା ଟଙ୍କା । ବିଜେଡିର ଭ୍ରଷ୍ଟ ଶାସନରେ ଓଡ଼ିଶା ଆଜି ନିନ୍ଦିତ ହୋଇଛି । ଯେଉଁଭଳି ଭାବରେ ଓଡ଼ିଶାରେ ବିଜୁ ଜନତା ଦଳ ସରକାରର ପ୍ରୋତ୍ସାହନରେ କଂଗ୍ରେସ ସାଂସଦଙ୍କ ଦ୍ୱାରା ଚାଲିଥିବା ମଦ ବ୍ୟବସାୟ ଉପରେ ଆୟକର ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି ତାହା ସାରା ଓଡ଼ିଶାକୁ ଆଜି ବିଚଳିତ କରିଛି । ବିଜେଡି ସରକାରର ବିନା ପ୍ରୋତ୍ସାହନରେ କ’ଣ କେହି ୫ଶହ କୋଟିର କଳାଟଙ୍କା ନିର୍ଭୟରେ ଜମା ରଖିପାରିବ କି? ଏହା ପଛରେ ବିଜୁ ଜନତା ଦଳ ସରକାରର ଅଭୟ ସୁରକ୍ଷା ରହିଆସିଛି । “ସାହୁ ବ୍ରଦର୍ସ ଆଣ୍ଡ କୋ”ଙ୍କ ସମେତ ମଦ ମାଫିଆମାନଙ୍କର ଯେଉଁଭଳିଭାବରେ ଓଡ଼ିଶାରେ କଳାଟଙ୍କାର ବେପାର ବଢ଼ିଛି ତା’ପଛରେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଅବକାରୀ ନୀତି ଦାୟୀ । ରାଜ୍ୟ ସରକାର ଅବକାରୀ ନୀତିରେ ଦୁର୍ନୀତି କରି ମଦ ମାଫିଆଙ୍କୁ ଅଜାଚିତ ଲାଭ ଦେଉଛନ୍ତି ଓ ସେହି କଳା ଟଙ୍କାରେ ବିଜେଡି ନିର୍ବାଚନ ଲଢ଼ୁଛି । କେବଳ ସେତିକି ନୁହେଁ ମଦ ମାଫିଆଙ୍କ ସ୍ୱାର୍ଥରେ ଓଡ଼ିଶାରେ ଦେଶୀ, ବିଦେଶୀ ମଦର ବନ୍ୟା ସୃଷ୍ଟି କରି ଓଡ଼ିଆଙ୍କୁ ଲୁଟୁଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି (ଡିସେମ୍ବର ୧୧) ରାଜ୍ୟର ସମସ୍ତ ସବ୍‌ଡିଭିଜନ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ସରକାରର ଏହି ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଟ୍ୱିଟ୍ କରି ଜଣାଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top