ଅସ୍ତରଙ୍ଗ: ପଦାରେ ପଡିଛି ଅସ୍ତରଙ୍ଗ ବିଜେଡି କନ୍ଦଳ। ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେଡି ପାଇଁ ବୁଲି ବୁଲି ପ୍ରଚାର କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି ପୂର୍ବତନ ବିଜେଡି ବିଧାୟକ ତଥା ନେତା ସୁରେନ୍ଦ୍ର ସେଠୀ। ଦୀର୍ଘ ଦିନ ଚୁପ ବସିବା ପରେ ଏବେ ନିଜ ଅସନ୍ତୋଷ ଝାଡ଼ି ରାସ୍ତାକୁ ଓଲ୍ହାଇଛନ୍ତି ସୁର। ଯାହାକି ବର୍ତ୍ତମାନ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମନୋବଳ ବୃଦ୍ଧି କରିଛି। ଆଜି କ୍ରୀଡାମନ୍ତ୍ରୀଙ୍କ ନିଜ ପଂଚାୟତରେ ବିଜେଡିର ପୂର୍ବତନ ବିଧାୟକ ଓ କଂଗ୍ରେସର ବିଧାୟକ ପ୍ରାର୍ଥୀ ମନ୍ତ୍ରୀଙ୍କ ବିରୁଦ୍ଧରେ ପ୍ରଚାର କରିଥିବା ଦେଖିବାକୁ ମିଳିଛି।
ଅସ୍ତରଙ୍ଗ ବ୍ଲକ ମନ୍ତ୍ରୀଙ୍କ ନିଜ ଗାଁ ତଥା ନଗର ପଂଚାୟତରେ ମନ୍ତ୍ରୀଙ୍କ ସମର୍ଥିତ ପ୍ରାର୍ଥୀଙ୍କ ପ୍ରାର୍ଥୀଙ୍କ ବିପକ୍ଷରେ ଅସନ୍ତୁଷ୍ଟ ବିଜେଡି ଓ କଂଗ୍ରେସ ସମର୍ଥିତ ମିଳିତ ପ୍ରାର୍ଥୀଙ୍କ ସପକ୍ଷରେ ଆଜି କାକଟପୁର ର ପିର୍ବତନ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ଓ କଂଗ୍ରେସର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ ମିଳିତ ହୋଇ ବିରୋଧୀ ମେଣ୍ଟ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଏକ ବିଶାଳ ମୋଟର ସାଇକଲ ରାଳିରେ ଭୋଟ ଭିକ୍ଷା କରିବା ସହ ମନ୍ତ୍ରୀ ତୁଷାରକାନ୍ତି ଙ୍କୁ ହଟେଇବା ପାଇଁ ସାଧାରଣ ଲୋକଙ୍କ ଅନୁରୋଧ ଯୋଗୁଁ ଉଭୟ ଏକାଠି ହୋଉଥିବା କହିଛନ୍ତି । ବିଜେଡି ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ମିଳିତ ମଞ୍ଚ ଲଢ଼େଇକୁ ଜୋରଦାର କରିଛି। ଅସ୍ତରଙ୍ଗ, କାକଟପୁର, କୋଣାର୍କ ଅଞ୍ଚଳରେ ମିଳିତ ମଞ୍ଚ ବିଜେଡିକୁ ବଡ ଟକ୍କର ଦେଉଥିବା ବେଳେ ଲୋକେ କାହାକୁ ଗ୍ରହଣ କରୁଛନ୍ତି ତାହା ସମୟ କହିବ। ସେପଟେ ବିଧାୟକ ଦଳୀୟ ଶୃଙ୍ଖଳା ବାହାରକୁ ଯାଇ ଏଭଳି କରୁଥିବା ଅଭିଯୋଗ ଆଣିଛି ବିଜେଡି।