
ଅସ୍ତରଙ୍ଗ: ଶେଷରେ ତାଳଦା ପଞ୍ଚାୟତ ଲୋକଙ୍କ ଆଶା ପୂରଣ ହେବାକୁ ଯାଉଛି। ଅଞ୍ଚଳରେ ଅପରାଧ ସଂଖ୍ୟା ବଢି ଚାଲିଥିବାରୁ ଏଠାରେ ଏକ ପୋଲିସ ଫାଣ୍ଡି ବସାଇବାକୁ ଦାବି ହୋଇ ଆସୁଥିଲା। ତେବେ ଜିଲ୍ଲା ପ୍ରଶାସନ କିନ୍ତୁ ଦୃଷ୍ଟି ଦେଉନଥିଲା। ଶେଷରେ ସମାଜସେବୀ ଡକ୍ଟର ଲକ୍ଷ୍ମୀଧର ବିଶ୍ୱାଳ ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ପୁରୀ ଏସପିଙ୍କଦୃଷ୍ଟି ଆକର୍ଷଣ କରିବା ସହିତ ଫାଣ୍ଡି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ କହିଥିଲେ।

ଏହି କ୍ରମରେ ଜିଲ୍ଲା ଏସପି ଅତିରିକ୍ତ ଏସପି ଙ୍କୁ ତଦନ୍ତ କରି ଏକ ରିପୋର୍ଟ ଦେବାକୁ କହିଥିଲେ। ଏହାପରେ ଏହି ରିପୋର୍ଟ ଏସପିଙ୍କୁ ପ୍ରଦାନ କରାଯାଇଛି। ଏବେ ଫାଣ୍ଡି ପାଇଁ ବାଟ ଫିଟିଛି। ଅସ୍ତରଙ୍ଗ ଥାନା ଅଧୀନରେ ଏହି ଫାଣ୍ଡି କାମ କରିବ। ପଞ୍ଚାୟତର 5 ଖଣ୍ଡ ରାଜସ୍ୱ ଗାଁ ଏହି ଫାଣ୍ଡି ଅଧୀନରେ ରହିବ। ସେଗୁଡ଼ିକ ହେଲା ତାଳଦା, ଏଡ଼ବାଂଶ, ପାଇଖଳା, ଡିହକରଡ଼ା, ରିଶୋଲ। ତେବେ ଏହା ଏକ ବଡ ସଫଳତା ବୋଲି କୁହାଯାଇପାରିବ।

ଦେବୀ ନଦୀ ଉପରେ ବ୍ରିଜ ହେବା ପରଠାରୁ ଅଂଚଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ବଢ଼ିବାରେ ଲାଗିଛି। ନୂଆ ଫାଣ୍ଡି ହେଲେ ଆଉ ଲୋକଙ୍କୁ ଅସ୍ତରଙ୍ଗ ଥାନାକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ।