ଶ୍ରେଣୀଗୃହରେ ସ୍ମୃତିର ସ୍ୱର: ମନେ ରହିବେ ଅଶୋକ ସାର – ମନୋରମା ମାଡାମ

* ଖଣ୍ଡାସାହି ମହାବୀର ବିଦ୍ୟାପୀଠରେ ଭାବବିହ୍ୱଳ ସମ୍ବର୍ଦ୍ଧନା

ଅସ୍ତରଙ୍ଗ, ୧୧/୦୭: ସମୟ ସକାଳ ୧୦ଟା। ହଠାତ ବାଜିଲା ସ୍କୁଲ ଘଣ୍ଟି । ପିଲାମାନେ ଆଜି ବି ଶ୍ରେଣୀଗୃହକୁ ଦୌଡ଼ି ଆସିଲେ। କିନ୍ତୁ ଦିନଟି ଟିକେ ଅଲଗା ଥିଲା। ଖାଁ ଖାଁ ଲାଗୁଥିଲା କ୍ଳାସରୁମ। ଦୀର୍ଘ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଜୀବନରେ ଜ୍ଞାନର ଆଲୋକ ବିତରଣ କରିଥିବା ଜଣେ ସାହିତ୍ୟ ଶିକ୍ଷକ ଓ ଜଣେ ହିନ୍ଦୀ ଶିକ୍ଷୟିତ୍ରୀ ନିଜ କର୍ମମୟ ଜୀବନରୁ ଅବସର ନେଇସାରିଥିଲେ।
ବ୍ଲାକ୍‌ବୋର୍ଡରେ ଲେଖା ଶବ୍ଦଗୁଡ଼ିକ ଲିଭିଯିବ, କିନ୍ତୁ ସେମାନଙ୍କ ପଢ଼ାଇଥିବା ଜୀବନର ପାଠ କେବେ ବି ଲିଭିବ ନାହିଁ। କାହିଁକି ନା  ପାଠ୍ୟପୁସ୍ତକର ସୀମା ଛାଡ଼ି ସେମାନେ ଛାତ୍ରଛାତ୍ରୀଙ୍କୁ ଶିଖାଇଥିଲେ ମଣିଷ ହେବାର କଳା, ସଂସ୍କାର ଓ ମୂଲ୍ୟବୋଧର ମହତ୍ତ୍ୱ।
ବିଦାୟ ସମାରୋହରେ ଯେତେବେଳେ ଛାତ୍ରଛାତ୍ରୀମାନେ ଫୁଲ ତୋଡ଼ା ଦେଇ ଗୁରୁଜନଙ୍କୁ ସମ୍ମାନ ଜଣାଇଲେ, ଅନେକଙ୍କ ଆଖି ଲୁହରେ ଭିଜିଯାଇ ଥିଲା। ଶିକ୍ଷକଙ୍କ କଣ୍ଠ ବି ଭାବବିହ୍ୱଳ ହୋଇଯାଇଥିଲା। ବର୍ଷ ବର୍ଷର ସ୍ମୃତି, ଅଗଣିତ ଛାତ୍ରଛାତ୍ରୀଙ୍କ ସଫଳତା ଓ ସ୍କୁଲ ସହ ଅତୁଟ ସମ୍ପର୍କର ମୁହୂର୍ତ୍ତଗୁଡ଼ିକ ସମସ୍ତଙ୍କୁ ଭାବପ୍ରବଣ କରିଦେଇଥିଲା।
ଚାକିରିରୁ ଅବସର ନିଆଯାଇପାରେ, କିନ୍ତୁ ଜଣେ ପ୍ରକୃତ ଶିକ୍ଷକ କେବେ ବି ଅବସର ନିଅନ୍ତି ନାହିଁ। ସେ ତାଙ୍କ ଛାତ୍ରଛାତ୍ରୀଙ୍କ ସଫଳତା, ସଂସ୍କାର ଓ ସ୍ମୃତିରେ ସବୁଦିନ ପାଇଁ ବଞ୍ଚି ରହନ୍ତି। ଆଜି ସ୍କୁଲରୁ ଦୁଇଜଣ ଶିକ୍ଷକ ବିଦାୟ ନେଇଛନ୍ତି ସତ, କିନ୍ତୁ ସେମାନଙ୍କ ଶିକ୍ଷା, ସ୍ନେହ ଓ ଆଦର୍ଶ ଆଗାମୀ ପିଢ଼ିର ପଥପ୍ରଦର୍ଶକ ହୋଇ ରହିବ। କାରଣ କିଛି ସମ୍ପର୍କ କେବେ ବି ଶେଷ ହୁଏନି… ଶିକ୍ଷକ ଓ ଶିଷ୍ୟଙ୍କ ସମ୍ପର୍କ ସେହିଭଳି ଚିରନ୍ତନ।….

ପ୍ରିୟ ଶିକ୍ଷକ ଓ ଗୁରୁମାଙ୍କ ବିଦାୟ ଦେବା ସମୟରେ ଛାତ୍ରଛାତ୍ରୀଙ୍କ ଆବେଗରେ ପୁରା ବିଦ୍ୟାଳୟ ପରିବେଶ ଭାବବିହ୍ୱଳ ହୋଇ ପଡ଼ିଥିଲା।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଖଣ୍ଡାସାହି ମହାବୀର ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଅଶୋକ କୁମାର ରାଉତ ଓ ଶିକ୍ଷୟିତ୍ରୀ ମନୋରମା ବିଶ୍ୱାଳ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ବିଦାୟ ବେଳେ ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ଉଭୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସ୍ନେହ, ଶାସନ ଓ ଅମୂଲ୍ୟ ଶିକ୍ଷାଦାନର ସ୍ମୃତି ସ୍ମରଣ କରି କୃତଜ୍ଞତା ଜ୍ଞାପନ କରିଥିଲେ। ଅନେକ ଛାତ୍ରଛାତ୍ରୀଙ୍କ ଆଖି ଆସୁରେ ଭରି ଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅସ୍ତରଙ୍ଗ ବ୍ଲକ୍ ଏବିଇଓ ପ୍ରୀୟଦର୍ଶୀ ବିଶ୍ୱାଳ ଯୋଗ ଦେଇଥିଲେ। ଏଥିସହ ସମାଜସେବୀ ଜ୍ଞାନରଞ୍ଜନ ସାହୁ, ବିଶିଷ୍ଟ ଶିକ୍ଷାବିତ୍ ସ୍ୱପ୍ନେଶ୍ୱର ସାହୁ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସ୍ୱାଇଁ, ଶିକ୍ଷକ ମନୋଜ କୁମାର ସ୍ୱାଇଁ, ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।୧୯୯୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରୁ ଏପର୍ଯ୍ୟନ୍ତ ୩୧ଟି ବ୍ୟାଚର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ପ୍ରିୟ ଶିକ୍ଷକ ଓ ଗୁରୁମାଙ୍କୁ ସମ୍ମାନ ଜଣାଇଥିଲେ ଏବଂ ସେମାନଙ୍କ ସୁସ୍ୱାସ୍ଥ୍ୟ ଓ ସୁଖମୟ ଅବସର ଜୀବନ କାମନା କରିଥିଲେ।

କାର୍ଯ୍ୟକ୍ରମକୁ ସୂଚରୁ ରୂପେ ଆୟୋଜନ କରିଥିବାରୁ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶେଷ କୃତଜ୍ଞତା ଜଣାଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୀପ୍ତିରଞ୍ଜନ ସାହୁ, ଦୀପ୍ତିରଞ୍ଜନ ସ୍ୱାଇଁ, ସରିତା ସ୍ୱାଇଁ, ମନ୍ମଥ ଲେଙ୍କା, ତାପସ କୁମାର ସ୍ୱାଇଁ, ଜ୍ଞାନଦର୍ଶୀ ସାହୁ, ହେମନ୍ତ ସାହୁ, ଅଜିତ ସ୍ୱାଇଁ, ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top