Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଧାନସଭାରେ ଦେଖାଇଲେ ପୂର୍ଣାଙ୍ଗ ବଜେଟ, ପାରିତ ହେବ କାମଚଳା ବଜେଟ

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିବା ସହ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ମାସ ନିମନ୍ତେ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ରଖିଛନ୍ତି । ୨୦୨୧-୨୨ରେ ରାଜ୍ୟ ବଜେଟର ଆକାର ୧.୭୦ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧୭.୬% ବୃଦ୍ଧି ପାଇ ୨ଲକ୍ଷ କୋଟି ଟଙ୍କାରେ ପହଂଚିଛି । କରୋନା ମହାମାରୀ ଯୋଗୁ ବ୍ୟାକଫୁଟକୁ ଚାଲି ଯାଇଥିବା ରାଜ୍ୟ ଅର୍ଥନୀତି ପୁଣିଥରେ ଟ୍ରାକକୁ ଫେରିଛି ଓ ଅର୍ଥନୀତିରେ ଦ୍ରୁତ ସୁଧାର ଆସି ୨୦୨୨-୨୩ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୯ରୁ ୯.୫% ରହିବ ବୋଲି ଆକଳନ କରାଯାଇଛି । ପଂଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁଁ ବାର୍ଷିକ ବଜେଟ୍ ଆଗତ ସମ୍ଭବପର ନଥିବାରୁ ସରକାର ପ୍ରାୟ ୧.୦୬ଲକ୍ଷ କୋଟି ଟଙ୍କାର ୪ମାସିଆ କାମଚଳା ବଜେଟ୍ ଆଗତ କରି ଆସନ୍ତାକାଲି ଏହାକୁ ବ୍ୟୟମଞ୍ଜୁରୀ ବିଲ୍ ଆକାରରେ ଗୃହରେ ପାରିତ କରାଇବେ । ବଜେଟରେ ଆର୍ଥିକ ଅଭିବୃଦ୍ଧି, ଭିତ୍ତିଭୂମି ଉନ୍ନୟନ, ବିକାଶ ଓ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି । ଖଣି କ୍ଷେତ୍ରରୁ ପ୍ରାୟ ୪୮୨୦୦କୋଟି ଟଙ୍କାର ଅଣଟିକସ ରାଜ୍ୟ ଅର୍ଥନୀତି ପାଇଁ ସଞ୍ଜିବନୀ ହୋଇଛି ଓ ଏହା ହିଁ ରାଜ୍ୟର ନିଜସ୍ୱ ଟିକସ ପରିମାଣ ବୃଦ୍ଧିରେ ସହାୟକ ହୋଇଛି ।

ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ବଜେଟର ୫୮ ପ୍ରତିଶତ ନିଜସ୍ୱ ରାଜସ୍ୱରୁ ପୂରଣ ହୋଇପାରୁଛି । ଉତ୍ତମ ଆର୍ଥିକ ଓ ସଠିକ୍ ବିତ୍ତିୀୟ ପରିଚାଳନା ଯୋଗୁ କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତା ପୂର୍ବ ତୁଳନାରେ ହ୍ରାସ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ଖର୍ଚ୍ଚ ୮୯,୬୨୦କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ୧ଲକ୍ଷ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩୨୧୦କୋଟି, ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇôଥବା ଅର୍ଥରୁ ଖର୍ଚ୍ଚ ୭୧୭୦କୋଟିର ବଜେଟ୍ ଆକଳନ ହୋଇଛି । ଏଥିରୁ ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ମାସ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି । କାର୍ଯ୍ୟକ୍ରମର ଖର୍ଚ୍ଚ ପରିମାଣ ଗତବର୍ଷ ତୁଳନାରେ ୨୫ହଜାର କୋଟି ବୃଦ୍ଧି ପାଇଁ ମୋଟ ୧ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଏଥିରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩୯୪୭କୋଟି ଟଙ୍କା, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୨୨୪୧କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦୩୪୪କୋଟି ଟଙ୍କା , ଅନୁସୂଚିତ ଜାତି ଓ ଜନଜାତି ପାଇଁ ଚିହ୍ନିତ ଯୋଜନା ନିମନ୍ତେ କାର୍ଯ୍ୟକ୍ରମ ବ୍ୟୟ ୩୩୨୦୩କୋଟି ଟଙ୍କା, ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ପାଇଁ ୮୨୫୫କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ବଜେଟ୍ ଏକ ରାଜସ୍ୱ ବଳକା ଓ ବିତ୍ତୀୟ ନିଅଣ୍ଟିଆ ବଜେଟ । ୨୦୨୨-୨୩ ଆର୍ଥିକ ବର୍ଷରେ ଏଫଆରବିଏମ୍ ଆକ୍ଟ ଅନ୍ତର୍ଗତ ବିତ୍ତୀୟ ନିଅଂଟ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିଥିବାବେଳେ ୧୯୬୧୭.୫୮କୋଟି ଟଙ୍କାର ରାଜସ୍ୱ ବଳକା ଆକଳନ ହୋଇଛି ।

ଏପଟେ ବିରୋଧୀ  କହିଛନ୍ତି ଏହା କପି ପେଷ୍ଟ ବଜେଟ। କେନ୍ଦ୍ରସରକାର ଯେଉଁ ବଜେଟ କରନ୍ତି ରାଜ୍ୟ ସରକାର ତାକୁ କପି କରନ୍ତି।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ଅନୁଦାନ ନାହିଁ । କେବଳ ମିଛ କଥା କହିଛନ୍ତି ରାଜ୍ୟ ସରକାର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like