Connect with us

Hi, what are you looking for?

ବିଜିନେସ

ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ

ଭୁବନେଶ୍ୱର: ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ ।
ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଉଛନ୍ତି ।
ଏହି ଉତ୍ସବର ଟ୍ୟାଗ୍ ଲାଇନ୍ ରହିଛି ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) । ଏହି ସମାବେଶକୁ ନେଇ ସୋଆ ବିଶ୍ୱବିଦ୍ୟାଳୟ ଦେଶର ସାହିତ୍ୟ ଓ କଳା ପରମ୍ପରାର ମିଳନ ଭୂମି ହେବାକୁ ଯାଉଛି ।
୨୦୨୦ ଫେବୃୟାରୀ ୧ ଓ ୨ ତାରିଖରେ ସୋଆ ପକ୍ଷରୁ ପ୍ରଥମ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏଥିରେ ୧୦୦ ରୁ ଊର୍ଦ୍ଧ୍ୱ ସାହିତ୍ୟିକ, କବି ଓ କଳାକାର ଯୋଗ ଦେଇଥିଲେ ।
ଏହି ସାହିତ୍ୟ ଉତ୍ସବ ସୋଆ ପରିଚାଳିତ ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ), ଯାହାକି ଭାରତର ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଏବଂ ପୁନରୁଦ୍ଧାର କରିବା ଦିଗରେ କାର୍ଯ୍ୟ କରୁଛି, ପକ୍ଷରୁ ଆୟୋଜନ କରାଯାଇଛି ।
ପ୍ରାଚୀନ ଗ୍ରନ୍ଥ ସମ୍ପାଦନା, ଗବେଷଣା, ଡିଜିଟାଇଜେସନ୍‌, ସଂପାନ, ପାଠଚକ୍ରର ଆୟୋଜନ ଏବଂ କଳା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଚର୍ଚ୍ଚା ସହିତ ଭାରତୀୟ କଳା ଓ ସାହିତ୍ୟକୁ ଅଧିକ ସମୃଦ୍ଧ ଓ ପ୍ରସ୍ଫୁଟିତ କରିବା ଦିଗରେ କାର୍ଯ୍ୟ କରିବା ପ୍ରାଚୀନ୍‌ର ମୁଖ୍ୟ ଆଭିମୁଖ୍ୟ ବୋଲି ଏହି କେନ୍ଦ୍ରର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ତଥା କ୍ୟୁରେଟର୍ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି ।
ଏହି ଉତ୍ସବ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ଚିନ୍ତକମାନଙ୍କ ପାଇଁ ମତ ଆଦାନ ପ୍ରଦାନର ଏକ ପ୍ରମୁଖ ପୀଠ ହୋଇପାରିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।
ସୋଆ ଅଧିନରେ ୧୮ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ପ୍ରାଚୀନ ଏହା ମଧ୍ୟରୁ ଅନ୍ୟତମ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ ପ୍ରାଚୀନ୍ ମାଧ୍ୟମରେ କରାଯାଉଥିବା ସୋଆ କୁଳପତି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।
ଚଳିତ ସୋଆ ସାହିତ୍ୟ ଉତ୍ସବର ଶୀର୍ଷକ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ’ ।
ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସମାଜତତ୍ୱବିତ୍ ଓ ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ, ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ଶ୍ରୀ ମାଧବ କୌଶିକ ଓ ସଚିବ ଶ୍ରୀ କେ. ଶ୍ରୀନିବାସରାଓ ଉପସ୍ଥିତ ରହିବେ । ସେହିପରି ନଭେମ୍ବର ୨୬ ତାରିଖରେ ଉଦ୍‌ଯାପନୀ ଉତ୍ସବରେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକ ଶ୍ରୀ ସୁରଜିତ ପତର ଏବଂ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀମତି କୁମୁଦ ଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଉତ୍ସବରେ ଓଡ଼ିଶାର ୧୧ ଜଣ ସାହିତ୍ୟିକ ଓ ମଂଚ ବିଶେଷଜ୍ଞଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ । ସେମାନେ ହେଲେ ପ୍ରଖ୍ୟାତ କବି ଓ କଥାକାର ଶ୍ରୀ ରମାକାନ୍ତ ରଥ,ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ଶ୍ରୀ ବିଭୂତି ପଟ୍ଟନାୟକ, ପ୍ରତିଷ୍ଠିତ କାହାଣୀକାର ଶ୍ରୀ ଅଚ୍ୟୁତାନନ୍ଦ ପତି, ଗାଳ୍ପିକ ଶ୍ରୀ ସାତକଡି ହୋତା, ପ୍ରସିଦ୍ଧ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା, କବି, ଗାଳ୍ପିକ ଓ ନାଟ୍ୟକାର ଡକ୍ଟର ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଦାଶରଥୀ ଦାସ, ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଶ୍ରୀ ଅନନ୍ତ ମହାପାତ୍ର ।
ଏହି ଉତ୍ସବରେ ଯୋଗ ଦେଉଥିବା ସାହିତ୍ୟିକ ଓ ସଂସ୍କୃତି କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀ ଦାମୋଦର ଖାଡ୍‌ସେ, ଶ୍ରୀ ଦାମୋଦର ମୌଜୋ, ଶ୍ରୀ ଗିରିଶ କାଶରଭାଲି, ଶ୍ରୀ ଲୀଲାଧର ମାଣ୍ଡଲୋଇ, ଶ୍ରୀମତି ଶୋଭନା ନାରାୟଣ, ଶ୍ରୀ ଯତୀନ ଦାସ, ଶ୍ରୀ ସୁବୋଧ ସରକାର, ଶ୍ରୀ ହରପ୍ରସାଦ ଦାସ, ଶ୍ରୀ ମୃତ୍ୟୁଞ୍ଜୟ କୁମାର ସିଂହ, ଶ୍ରୀ ପଲ୍ ଜାକାରିଆ, ଶ୍ରୀ ପଙ୍କଜ ପରାଶର, ଶ୍ରୀମତି ପ୍ରୀତି ସେନୟ, ଶ୍ରୀ ପ୍ରଶାନ୍ତ ନନ୍ଦ, ଶ୍ରୀ ପ୍ରବୋଧ ପାରିଖ, ଶ୍ରୀ ସନ୍ତୋଷ ଚୌବେ, ଶ୍ରୀ ଶରନ୍ କୁମାର ଲିମ୍ବାଲେ, ଶ୍ରୀ ଅତୁଲ ତିୱାରି, ଶ୍ରୀ ବଳରାମ, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ଶ୍ରୀ ସବ୍ୟସାଚୀ ମହାପାତ୍ର ଏବଂ ଶ୍ରୀ ସୁଶାନ୍ତ ମଣି ଅଛନ୍ତି ।
ତିନି ଦିନର ଏହି ସାହିତ୍ୟ ଉତ୍ସବରେ ୬୦ଟି ସେସନ୍ ରହିଥିବା ବେଳେ ଉତ୍ସବର ପ୍ରଥମ ଦିନରେ ପ୍ରଥିତଯଶା କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like