Connect with us

Hi, what are you looking for?

ବିଜିନେସ

ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଉଦ୍‌ଯାପିତ, ବିଶିଷ୍ଟ ସାହିତ୍ୟିକ ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୬/୧୧ : ସମାଜକୁ ଯୋଡ଼ି ରଖିବାରେ ସାହିତ୍ୟ ଏକ ସେତୁ ସଦୃଶ । ତିନିଦିନିଆ ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ ଉପଲକ୍ଷେ ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟକୁ ନେଇ ଏଭଳି ବ୍ୟାଖ୍ୟା କରିଛନ୍ତି ବିଶିଷ୍ଟ ପଞ୍ଜାବୀ ସାହିତ୍ୟିକ ଡକ୍ଟର ସୁରଜିତ୍ ପତର ।
କଂକ୍ରିଟ୍ ତିଆରି ସେତୁ ନଦୀକୁ ଅତିକ୍ରମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଶବ୍ଦରେ ପ୍ରସ୍ତୁତ ସେତୁ ସମାଜକୁ ଏକତ୍ରିତ କରିଥାଏ ବୋଲି ଡ଼କ୍ଟର ପତର ନିଜ ବକ୍ତବ୍ୟରେ କହିଛନ୍ତି । ସୋଆ ସାହିତ୍ୟ ଉତ୍ସବରେ ସାରା ଦେଶରୁ ପ୍ରାୟ ୨୫୦ ଜଣ ଲେଖକ, କବି, ସମାଲୋଚକ ଓ କଳାକାର ଯୋଗଦେଇଥିଲେ ।
ଡକ୍ଟର ପତର କହିଥିଲେ କବିତା ଆତ୍ମ ଅନୁଶୀଳନରେ ସହାୟକ ହୋଇଥାଏ । କବିତା ଏବଂ ଦୁଃଖ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ରହିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ବିଶ୍ୱର ଗରିବତମ ଦେଶ ଗୁଡିକରେ ସବୁଠାରୁ ଉନ୍ନତ ଧରଣର କବିତା ଦେଖିବାକୁ ମିଳିଥାଏ ।
ପୃଥିବୀର ଦେଶ ଗୁଡିକ ମଧ୍ୟରେ ଭାରତ ହେଉଛି ଅନ୍ୟତମ ଯେଉଁଠାରେ କି ସବୁଠାରୁ ଅଧିକ ଲିପି ଦେଖିବାକୁ ମିଳିଥାଏ । ଶବ୍ଦର ଅଭାବ ଅନ୍ଧକାର ଆଡକୁ ନେଇଯାଏ ବୋଲି ଡକ୍ଟର ପତର କହିଥିଲେ ।


ଲେଖକ ଏବଂ କବି ମାନଙ୍କ ବିଷୟରେ ମନ୍ତବ୍ୟ ରଖି ଡକ୍ଟର ପତର କହିଥିଲେ ଯେ କବି ମାନେ ବୃକ୍ଷ ସଦୃଶ ଯେଉଁମାନେ କି ସମାଜର ହିତ ପାଇଁ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି ଓ ଅମ୍ଳଜାନ ତ୍ୟାଗ କରିଥାନ୍ତି ।
ସୋଆ ସାହିତ୍ୟ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ୧୧ ଜଣ ଲେଖକ, କବି ଓ ସମାଲୋଚକଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ଏହି ଅବସରରେ ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ । ସେମାନେ ହେଲେ ବିଶିଷ୍ଟ କଥାକାର ଶ୍ରୀ ଅଚ୍ୟୁତାନନ୍ଦ ପତି, ବିଶିଷ୍ଟ ଲେଖକ ଶ୍ରୀ ସାତକଡ଼ି ହୋତା, ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ତଥା ଲେଖକ ପ୍ରଫେସର ସାନ୍ତନୁ କୁମାର ଆଚାର୍ଯ୍ୟ, ବିଶିଷ୍ଟ କବି ଓ ଲେଖକ ଶ୍ରୀ ରମାକାନ୍ତ ରଥ, ବିଶିଷ୍ଟ ଅନୁବାଦକ ଓ କବି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା, ବିଶିଷ୍ଟ ସମାଲୋଚକ ପ୍ରଫେସର ଦାଶରଥି ଦାସ, ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ଔପନ୍ୟାସିକ ଶ୍ରୀ ବିଭୂତି ପଟ୍ଟନାୟକ । ତେବେ ବ୍ୟକ୍ତିଗତ କାରଣ ବଶତଃ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସ ଓ ବିଶିଷ୍ଟ ମଂଚ ବ୍ୟକ୍ତିତ୍ୱ ଶ୍ରୀ ଅନନ୍ତ ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପାରିନଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଏହି ମହାନ ବ୍ୟକ୍ତିମାନଙ୍କୁ ସନ୍ଦର୍ଭ, ଉତରୀୟ, ଦେବୀ ସରସ୍ୱତୀଙ୍କ ମୂର୍ତି ଓ ୧ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦମୀର ଉପ ସଭାନେତ୍ରୀ ପ୍ରଫେସର କୁମୁଦ ଶର୍ମା ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଏହି ମହାନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରଫେସର ଶର୍ମା କହିଥିଲେ ଯେ ସାହିତ୍ୟ ଜଗତର ଏହି ମହାନ ହସ୍ତୀ ମାନେ ତାଙ୍କର ସାରା ଜୀବନକୁ ସାହିତ୍ୟ କ୍ଷେତ୍ରରେ ସମର୍ପିତ କରିଛନ୍ତି । ସାହିତ୍ୟ ହିଁ ସମାଜରେ ଆଶାର ସଂଚାର କରିଥାଏ ବୋଲି ସେ କହିଥିଲେ ।
ସମାଜର ଅନେକ ଗୁଡିଏ ପରସ୍ପର ବିରୋଧାତ୍ମକ ବିଷୟ ରହିଥିବା ବେଳେ ସାହିତ୍ୟ ସମାଜକୁ ଏକାଠି ବାନ୍ଧି ରଖିବା ଦିଗରେ କାର୍ଯ୍ୟ କରିଥାଏ ବୋଲି ସେ କହିଥିଲେ ।ସେ କହିଥିଲେ ଯେ ସାହିତ୍ୟିକ ମାନେ ଯେଉଁମାନଙ୍କ ପ୍ରତିନିଧିତ୍ୱ କରିବା ପାଇଁ କେହି ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାଇବାର ଦାୟିତ୍ୱ ନେବା ଦରକାର ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କଳା ସାହିତ୍ୟ ଓ ଐତିହ୍ୟ ସଂରକ୍ଷଣ ନିମନ୍ତେ ସ୍ଥାପିତ ଶାଖା ସୋଆ ସେଂଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ କଲଚର ଆଣ୍ଡ ହେରିଟେଜ ଅଫ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।
ନିଜ ବକ୍ତବ୍ୟରେ ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିବା ଅବସରରେ ପ୍ରାଚୀନର ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଥିଲେ ଯେ ଓଡ଼ିଆ ସାହିତ୍ୟ ଜଗତର ଏହି କିମ୍ବଦନ୍ତୀ ମାନଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିବା ଏକ ସ୍ୱପ୍ନ ଥିଲା । ଏହି ସାହିତ୍ୟ ଉତ୍ସବରେ ସେମାନଙ୍କର ଯୋଗଦାନ ଉତ୍ସବକୁ ଆହୁରି ରୁଦ୍ଧିମନ୍ତ କରିଥିବା ସହ ଏଥିରେ ଭାଗନେଇଥିବା ବ୍ୟକ୍ତିମାନଙ୍କ ନିମନ୍ତେ ଲାଭଦାୟକ ହୋଇଛି ବୋଲି ସେ କହିଥିଲେ । ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବର୍ଦ୍ଧିତ ହେବା ପରେ ଏହି ମହାନ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ଏଭଳି ସାହିତ୍ୟ ଉତ୍ସବ ଆୟୋଜନ କରିଥିବାରୁ ସୋଆକୁ ଧନ୍ୟବାଦ ଜଣାଇଥିଲେ ।
ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ସାହିତ୍ୟ ଉତ୍ସବରେ ବୟୋଜ୍ୟେଷ୍ଠ ସାହିତ୍ୟିକ ମାନଙ୍କୁ ଏକତ୍ରିକ କରିପାରିଥିବାରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ । ଗୋଟିଏ ସହରରେ ରହି ମଧ୍ୟ ସ୍ୱାସ୍ଥ୍ୟଗତ ଓ ବୟସାଧିକ କାରଣରୁ ଏହି ବୟୋଜ୍ୟେଷ୍ଠମାନେ ଦୀର୍ଘ ଦିନ ଧରି ପରସ୍ପର ସହ ସାକ୍ଷାତ କରି ପାରିନଥିବାବେଳେ ଏହି ମଂଚରେ ସମସ୍ତେ ଏକତ୍ରିତ ହୋଇପାରିଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ ।
ଏହି ଅବସରରେ ଶ୍ରୀ ରମାକାନ୍ତ ରଥ କହିଥିଲେ ଯେ ପୁରାତନ କାଳଜୟୀ ପୁସ୍ତକ ଯେଉଁଗୁଡିକ ଆଉ ଉପଲବ୍ଧ ହୋଇପାରୁନାହିଁ ସେଗୁଡିକୁ ପ୍ରକାଶନ କରିବାର ଆବଶ୍ୟକତା ରହିଛି ଏବଂ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍ ।
ଏହି ଅବସରରେ ସମ୍ବର୍ଦ୍ଧିତ ହୋଇଥିବା ଅନ୍ୟତମ ଲେଖକ ପ୍ରଫେସର ଦାଶରଥି ଦାସ ଆଦିକବି ଶାରଳା ଦାସଙ୍କ ଦ୍ୱାରା ଲିଖିତ \”\”ସାରୋଳ ମହାଭାରଥ\’\’ର କ୍ରିଟିକାଲ ଏଡିସନ୍‌ର ସଂସ୍କରଣ ପ୍ରକାଶନ କରିଥିବାରୁ ପ୍ରାଚୀନକୁ ଧନ୍ୟବାଦ ଜଣାଇଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ବିଜିନେସ

ଭୁବନେଶ୍ୱର, ଫେବୃଆରୀ ୫: ଓଡ଼ିଶାରେ କୋଭିଡ ଯୁଦ୍ଧର ମୁକାବିଲା କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଯାହା ଦ୍ୱାରା କି ରାଜ୍ୟରେ କରୋନା ଜନିତ ମୃତ୍ୟୁ...

ବିଜିନେସ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଦ୍ୱୈତ ନଗରୀରର ପୋଲିସ୍ କମିଶନର...

ବିଜିନେସ

ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍‌ପିଏସ୍‌) ଠାରେ କାର୍ଡିଓ...

ବିଜିନେସ

ଭୁବନେଶ୍ୱର, ନଭେମ୍ବର ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ୩ ଦିନିଆ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍‌ଘାଟନ କରି ବିଶିଷ୍ଟ...